ସାଲେପୁର, ୧୯/୧୧/୨୦୨୬: ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ମଧୁବାବୁ ପେନ୍ସନ୍ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଭତ୍ତା ପାଇବା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା।
ସାଲେପୁର ବ୍ଲକର ବହୁଗ୍ରାମ, ମୁତାରିଫା ଓ ଗୁଜରପୁର ପଞ୍ଚାୟତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନୂତନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।

ଦୀର୍ଘଦିନ ଧରି ଅପେକ୍ଷା କରିବା ପରେ ଭତ୍ତା ପାଇ ଉପସ୍ଥିତ ବୃଦ୍ଧବୃଦ୍ଧା ଓ ଅନ୍ୟ ହିତାଧିକାରୀମାନେ ଖୁସି ପ୍ରକାଶ କରିଥିଲେ। ଏଥିପାଇଁ ସେମାନେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଥିବା କୁହାଯାଇଛି।
କାର୍ଯ୍ୟକ୍ରମରେ ଗୁଜରପୁର ସରପଞ୍ଚ ରାଜେଶ୍ୱରୀ ନନ୍ଦୀ, ମୁତାରିଫା ସରପଞ୍ଚ ରୋକିୟା ପରବୀନ, ବହୁଗ୍ରାମ ସରପଞ୍ଚ ରଶ୍ମିତା ମଲ୍ଲିକ, ପୂର୍ବତନ ସରପଞ୍ଚ ପ୍ରଭାକର ଦାଶ, ସମ୍ରାଟ କେଶରୀ ଲେଙ୍କା, ପୂର୍ଣ୍ଣିମା ବସ୍ତିଆ ଓ ଚିତ୍ତରଞ୍ଜନ ନନ୍ଦୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଶତାଧିକ ପଞ୍ଚାୟତବାସୀ ମଧ୍ୟ ସାମିଲ ହୋଇଥିଲେ।
ଟିପ୍ପଣୀ: ଏହି ଖବର ପ୍ରଦତ୍ତ ସୂଚନା ଆଧାରରେ ପ୍ରସ୍ତୁତ।

Leave a Reply